Surprise Me!

ମନ ଜିଣିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ବ୍ରହ୍ମପୁରରେ ଗାଡ଼ିରୁ ଓହ୍ଲାଇ କଲେଜ ଛାତ୍ରୀଙ୍କୁ ବାଣ୍ଟିଲେ ଚକୋଲେଟ୍

2026-08-04 4 Dailymotion

President distributes chocolates , ବ୍ରହ୍ମପୁର: ଗାଡ଼ିରୁ ଓହ୍ଲାଇ ଚକୋଲେଟ୍ ବାଣ୍ଟିଲେ ମହାମହିମ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗଞ୍ଜାମ ଜିଲ୍ଲା ତପ୍ତପାଣି ଯାତ୍ରା ସମୟରେ ବ୍ରହ୍ମପୁରରେ, ମହାମହିମଙ୍କ ସରଳ ଓ ଆତ୍ମୀୟ ମୁହୂର୍ତ୍ତ, ଉପସ୍ଥିତ ଜନସାଧାରଣଙ୍କ ମନ ଜିଣି ନେଇଥିଲା । ସହର ଉପକଣ୍ଠ ମହାମାୟୀ ମହିଳା ମହାବିଦ୍ୟାଳୟ ନିକଟରେ ରାଷ୍ଟ୍ରପତିଙ୍କ କାରକେଡ୍  ପହଞ୍ଚିବା ବେଳେ ସେଠାରେ ବହୁ ସଂଖ୍ୟାରେ କଲେଜ ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ତାଙ୍କୁ ସ୍ୱାଗତ କରିବା ପାଇଁ ରାସ୍ତା କଡ଼ରେ ଅପେକ୍ଷା କରି ରହିଥିଲେ । ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହଠାତ୍ ନିଜ ଗାଡ଼ିରୁ ଓହ୍ଲାଇ ବିଦ୍ୟାର୍ଥୀମାନଙ୍କ ନିକଟକୁ ଯାଇଥିଲେ । ସେମାନଙ୍କ ସହ ହସି ହସି କଥାବାର୍ତ୍ତା ହେବା ସହ, ପିଲାମାନଙ୍କୁ ଚକୋଲେଟ୍ ବାଣ୍ଟିଥିଲେ ।  

ଦେଶର ପ୍ରଥମ ନାଗରିକଙ୍କ ଏଭଳି ସରଳ ଏବଂ ସ୍ନେହଭରା ବ୍ୟବହାର ଦେଖି  ଛାତ୍ରୀମାନେ ଉତ୍ସାହିତ ହୋଇପଡ଼ିଥିଲେ । ସେମାନେ ରାଷ୍ଟ୍ରପତିଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିବା ବେଳେ, ମହାମହିମ ସମସ୍ତଙ୍କ ଅଭିବାଦନର ଉତ୍ତର ଦେଇଥିଲେ । ରାଷ୍ଟ୍ରପତିଙ୍କୁ ନିକଟରୁ ଦେଖିବା ଏବଂ ତାଙ୍କ ହାତରୁ ଚକୋଲେଟ ପାଇବା ପିଲାମାନଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ପାଲଟିଥିଲା । ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ମୋବାଇଲ ଫୋନରେ ଏହି ମୁହୂର୍ତ୍ତକୁ କଏଦ କରିଥିଲେ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମଧ୍ୟ ରାଷ୍ଟ୍ରପତିଙ୍କ ଏଭଳି ଜନସମ୍ପର୍କ ଏବଂ ବିଦ୍ୟାର୍ଥୀମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ ଆଚରଣକୁ ସମସ୍ତେ ପ୍ରଶଂସା କରିଛନ୍ତି । ବ୍ରହ୍ମପୁର ଗସ୍ତର ଏହି ଅଳ୍ପ ସମୟର ହୃଦୟସ୍ପର୍ଶୀ ଘଟଣା ସହରବାସୀଙ୍କ ପାଇଁ ଏକ ସ୍ମୃତିମୟ ମୁହୂର୍ତ୍ତ ହୋଇ ରହିବ ବୋଲି କହିଛନ୍ତି କଲେଜ ଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ । 

ଏହା ମଧ୍ୟ ପଢନ୍ତୁ... ସ୍ୱତନ୍ତ୍ର ଟ୍ରେନରେ ବ୍ରହ୍ମପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମା’ କନ୍ଧୁଣୀ ଦେବୀଙ୍କ ନେବେ ଆଶୀର୍ବାଦ

ଏହା ମଧ୍ୟ ପଢନ୍ତୁ...ଟ୍ରେନରେ ବ୍ରହ୍ମପୁର ଆସିଲେ ମହାମହିମ, ଭବ୍ୟ ସ୍ବାଗତ ଜଣାଇଲା ରେଶମ ସହର

 

ଇଟିଭି ଭାରତ, ବ୍ରହ୍ମପୁର